ମୟୂରଭଞ୍ଜ, କେଉଁଝର ଏବଂ ପଡୋଶୀ ରାଜ୍ୟ ଝାରଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗରେ ମକର ପର୍ବ
ସହିତ ଟୁସୁ ପର୍ବ ବହୁତ ଜାକଜମକରେ ପାଳିତ ହୁଏ l ଏହା ଝିଅମାନଙ୍କର ପର୍ବ । ଟୁସୁ ପୂଜା ପୌଷମାସରେ ଆରମ୍ଭ ହୋଇ ମକର ସଂକ୍ରନ୍ତି ଦିନ ଶେଷହୁଏ l
କିମ୍ବଦନ୍ତୀ ଅନୁସାରେ, ଏକଦା ‘ଟୁସୁ’ ନାମରେ ଗୋଟିଏ ଆଦିବାସୀ ଝିଅ ଜଣେ ଲମ୍ପଟ କବଳରୁ ନିଜର ସତୀତ୍ୱ ରକ୍ଷାକରିବା ପାଇଁ ନଈକୁ ଡେଇଁ ପ୍ରାଣ ବିସର୍ଜନ କରିଥିଲା; ସେଦିନ ଥିଲା ମକର ସଂକ୍ରାନ୍ତି l ସେହି ଦୁଃଖଦ କାହାଣୀର ସ୍ମୃତିରେ, ତା’ର ଆତ୍ମସମ୍ମାନର ମର୍ଯ୍ୟାଦାରେ, ଝିଅମାନେ ‘ଟୁସୁ’କୁ ଦେବୀ ରୂପରେ ପୂଜା କରନ୍ତି, ଏବଂ ନିଜର ସମ୍ମାନ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିପାଦିତ କରନ୍ତି l ଏହି ସମୟରେ ବିଭିନ୍ନ ପ୍ରକାରର ଟୁସୁ ପ୍ରତିମାମାନ ହାଟବଜାରରେ ଉପଲବ୍ଧ ହୁଏ l ଝିଅମାନେ ଟୁସୁଦେବୀକୁ ସୁନ୍ଦର ଭାବରେ ସଜାଇ ଗୀତ (ଟୁସୁ-କାହାଣୀ) ଗାଇ ଗାଇ ଘର ଘର ବୁଲାନ୍ତି ଏବଂ ମକର ସଂକ୍ରନ୍ତି ଦିନ ବହୁତ ଜାକଜମକରେ ନଦୀ ବା ପୋଖରିରେ ବିସର୍ଜନ କରନ୍ତି l
ବର୍ତ୍ତମାନ ନାରୀ ମାନଙ୍କର ସୁରକ୍ଷା ନେଇ ଚାରିଆଡେ ଚର୍ଚ୍ଚା ଓ ସଚେତନତାର ପ୍ରଚାର ଚାଲିଛି । ଗୋଟିଏ ଅଘଟଣ ଘଟିଲେ ପ୍ରତିବାଦ ଜଣାଇବା ପାଇଁ ଓ ଦୋଷୀକୁ ଦଣ୍ଡଦେବା ପାଇଁ କିଛିଦିନ ହାହୋଲ୍ଲା ଦଙ୍ଗାହଙ୍ଗାମା ପରେ ସବୁ ଗତାନୁଗତିକ ରୀତିରେ ଚାଲୁଛି । ଏପରି ଅପରାଧ ପାଇଁ କଡ଼ା ନିୟମକାନୁନ ମଧ୍ୟ ପ୍ରଣୟନ କରାଯାଇଛି । ତଥାପି ନାରୀମାନଙ୍କ ପ୍ରତି ଦୁର୍ବ୍ୟବହାର, ଦୁଷ୍କର୍ମର ଘଟଣା ବଢି ଚାଲିଛି । ଏହି ପରିପ୍ରେକ୍ଷୀରେ ବିଚାରକଲେ ଟୁସୁପର୍ବ ପାଳନ ବହୁତ ଗୁରୁତ୍ୱ ବହନ କରେ । ବାସ୍ତବରେ, କାହିଁ କେଉଁ ଦିନରୁ ପାଳିତ ହୋଇ ଆସୁଥିବା ଟୁସୁ ଉତ୍ସବର ତାତ୍ପର୍ଯ୍ୟକୁ ଅନୁଶୀଳନ କଲେ ଏହି ପର୍ବ ମାଧ୍ୟମରେ ଯୁବତୀମାନଙ୍କର ଅସାମାଜିକଙ୍କ ବିରୋଧରେ ଏକ ସ୍ପଷ୍ଟ ପ୍ରତିବାଦ ପରି ମନେହୁଏ l