ଆମର ପ୍ରତ୍ୟେକ ପରମ୍ପରା ଏବଂ ପର୍ବପର୍ବାଣୀ ପାଳନର
ଅନ୍ତରାଳରେ କିଛି ନା କିଛି ମହତ ଉଦ୍ଦେଶ୍ୟ ନିହିତ ଅଛି । ଆମେ ସେହି ମହତ ଉଦ୍ଦେଶ୍ୟ ସବୁକୁ ବୁଝିବାକୁ ଚେଷ୍ଟା ନ କରି ପର୍ବଦିନ ଗୁଡିକୁ କେବଳ ଉତ୍ସବର ଦିନ ଭାବି ଉପଭୋଗ
କରିଚାଲିଛୁ । ତେଣୁ ପର୍ବ ପାଳନର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହେଉନାହିଁ ।
ଟୁସୁ ପର୍ବକୁ ଏହାର ଉଦାହରଣ ଭାବରେ ନିଆଯାଇପାରେ !
ଯେପରି କି, ଦିଲ୍ଲୀ ଦୁଷ୍କର୍ମ ଘଟଣାପରେ ନାରୀ ସୁରକ୍ଷା
ନେଇ ଆଜି ଚାରିଆଡେ ଚର୍ଚ୍ଚା ଓ ସଚେତନତାର ପ୍ରଚାର ଚାଲିଛି । ଦୁଷ୍କର୍ମର ପ୍ରତିରୋଧ ପାଇଁ ନୂଆ ନିୟମକାନୁନ ମଧ୍ୟ ତିଆରି ହେଲା, ଏବେ ଚେନ୍ନାଇ ଏସଆରଏମ
ୟୁନିଭରସିଟିର ତିନିଜଣ ଇଞ୍ଜିନିୟରଂ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ଦୁଷ୍କର୍ମ ପ୍ରତିରୋଧକ
ଅନ୍ତର୍ବସ୍ତ୍ର । କିନ୍ତୁ କେଉଁ କାଳରୁ ମୟୂରଭଞ୍ଜ, କେଉଁଝର ଏବଂ ପଡୋଶୀ ରାଜ୍ୟ ଝାରଖଣ୍ଡ, ଛତିଶଗଡ ଓ
ପଶ୍ଚିମବଙ୍ଗରେ ଧୁମଧାମରେ ପାଳନ ହେଉଥିବା ଟୁସୁପର୍ବ ଯେ ନାରୀ ଅସୁରକ୍ଷାର ପ୍ରତିବାଦ ଓ ଆତ୍ମ ସଚେତନତାର
ବାର୍ତ୍ତା ଦେଇଆସୁଛି, ଆମେ ତାକୁ ବୁଝି ପାରୁନା ।
ଆଗରୁ ଦେଶୀୟ ବା ଆଞ୍ଚଳିକ ପର୍ବ ପାଳନ ଅବସରରେ ଦୂର
ଦୂରାନ୍ତରେ ଥିବା ପରିବାରର ସଦସ୍ୟମାନେ ଘରକୁ ଆସୁଥିଲେ, ବନ୍ଧୁବାନ୍ଧବ ଏକଜୁଟ ହେଉଥିଲେ,
ସାହିପଡିଶା ମଧ୍ୟରେ ଭାବ ଆଦାନ ପ୍ରଦାନ ହେଉଥିଲା; ଫଳରେ ପରସ୍ପର ମଧ୍ୟରେ ସାମାଜିକ ବନ୍ଧନ ଓ ଏକତା ଦୃଢ ହେଉଥିଲା । ଏହା ସହିତ କର୍ମମୟ ଜୀବନରୁ କିଛି
ସମୟ ବିରତି ମିଳିବା ସଙ୍ଗେ ସଙ୍ଗେ ମନୋରଞ୍ଜନ ମଧ୍ୟ ହେଉଥିଲା । କିନ୍ତୁ ଆଜିକାଲି ଆମେ ଆଗକୁ
ବଢିବା ନିଶାରେ ଏତେ କାର୍ଯବ୍ୟସ୍ତ ହେଇଯାଉଛୁ ଯେ, ନିଜ ଗାଆଁରେ ପାଳିତ ହେଉଥିବା କୌଣସି
ସାମାଜିକ ଉତ୍ସବରେ ଯୋଗ ଦେବାକୁ ଆମକୁ ଆଉ ସମୟ ମିଳୁନାହିଁ । ଦିନ ଥିଲା, ମକରର ଦୁଇମାସ ପୂର୍ବରୁ ଆମେ ଦିନ ଗଣୁଥିଲୁ, ମକରକୁ ଆଉ କେତେ ଦିନ ରହିଲା ! କିନ୍ତୁ ବର୍ତ୍ତମାନ, କେବେ କେବେ
ମକର ପର୍ବ, ରଜ ଉତ୍ସବ, ପଣା ସଂକ୍ରାନ୍ତି, ଚୈତ୍ର ପର୍ବ ଆସି ଚାଲିଯାଉଛି ଜଣା ପଡୁନାହିଁ ।
No comments:
Post a Comment