ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପରେ ସମସ୍ତେ ଅତିଷ୍ଠ ହୋଇ
ପଡ଼ିଥାନ୍ତି ।
ନଈ, ନାଳ, ପୋଖରୀ ଶୁଖିଯାଇଥାଏ । ଚାଷୀ ଚାହିଁ ରହିଥାଏ ବର୍ଷାକୁ । ଏହି
ସମୟରେ ଜଗତର କଲ୍ୟାଣ ପାଇଁ, ଶୁଷ୍କ, ଉତ୍ତପ୍ତ ପ୍ରାଣରେ ଶୀତଳ ବାରିଧାରାର ସ୍ପର୍ଶ ଦେବା ପାଇଁ, ମାଟିକୁ
ପ୍ରଜନନକ୍ଷମ(ଫସଲ
ଉତ୍ପାଦନକ୍ଷମ)
କରିବା ପାଇଁ ଧରିତ୍ରୀ ମାଆ ହୁଅନ୍ତି ରଜସ୍ୱଳା;
ଧରାପୃଷ୍ଠକୁ ଓହ୍ଲାଇ ଆସେ ବର୍ଷା । ସମସ୍ତଙ୍କ
ମନରେ ଆନନ୍ଦ ଖେଳିଯାଏ । ଉତ୍ସାହ,
ଉଦ୍ଧିପନା ମଧ୍ୟରେ ଓଡ଼ିଶାର
ପୁରପଲ୍ଲୀରେ ପାଳନ ହୁଏ ‘ରଜ ପର୍ବ’ ।
ରଜପର୍ବ ସାଧାରଣତଃ ତିନି ଦିନ ଧରି ପାଳନ କରାଯାଏ । ଜ୍ୟେଷ୍ଠ ମାସର ଶେଷ ଦିନକୁ ଆମେ ‘ପହିଲି ରଜ’ ଭାବେ ପାଳନ କରୁଥିବାବେଳେ, ଦ୍ୱିତୀୟ ଦିନ(ଆଷାଢ଼ ମାସର ପ୍ରଥମ ଦିନ) ମିଥୁନ ସଂକ୍ରାନ୍ତିକୁ ‘ରଜ ସଂକ୍ରାନ୍ତି’, ତୃତୀୟ ଦିନ(ଆଷାଢ଼ର ଦ୍ୱିତୀୟ ଦିନ)କୁ ‘ଭୂମି ଦହନ’
ରୂପେ ପାଳନ କରୁ । ଏହି ସମୟରେ ମାଆ ବସୁମତୀ ରଜସ୍ୱଳା
ହୋଇଥିବାରୁ କେହି ଭୂଇଁ ଉପରେ ଖାଲି ପାଦରେ ଚାଲନ୍ତି ନାହିଁ, ପତ୍ର ବା ଖୋଳପାରେ ତିଆରି କଠଉ
ପିନ୍ଧି ଭୂଇଁ ଉପରେ ଚାଲିବାର ବିଧି ରହିଛି । ମାଟି ମାଆକୁ କର୍ଷଣ କରାଯାଏ ନାହିଁ, ଭୂମିରେ ହଳ
ବୁଲାଇବା କିମ୍ବା ମାଟି ଖୋଳିବା ମଧ୍ୟ ମନା । ବସୁମତୀ ମାତା ତିନି ଦିନ ଧରି ଅସ୍ପୃଶ୍ୟ ରହିବା ପରେ ଚତୁର୍ଥ
ଦିନ ସ୍ନାନ କରି ଶୁଦ୍ଧ ହୁଅନ୍ତି, ଏହି ଦିନକୁ ‘ବସୁମତୀ ସ୍ନାନ’ କୁହାଯାଏ । ଅନେକ ଏହାକୁ ‘ଲକ୍ଷ୍ମୀ ଗାଧୁଆ’ ଭାବେ ପାଳନ କରିଥାନ୍ତି ।
ରଜ ପର୍ବର ବିଶେଷତ ହେଲା ଦୋଳି ଖେଳ । ଝିଅମାନେ ରଜଗୀତ ଗାଇ ଗାଇ ଦୋଳି ଝୁଲି ଏବଂ ପୁଚି ଆଦି ଖେଳି
ପର୍ବଟିକୁ ଉପଭୋଗ କରନ୍ତି । ପୁଅମାନେ ଲୁଡ଼ୁ, ତାସ୍, ବାଗୁଡ଼ି ଆଦି ଖେଳି ରଜ ପର୍ବ ପାଳନ କରନ୍ତି । ରଜ ପାନ ଏହି ପର୍ବର ଆଉ ଏକ
ବିଶେଷ ପରମ୍ପରା । ପାରସ୍ପରିକ ସମ୍ପର୍କ, ସ୍ନେହ, ଶ୍ରଦ୍ଧା ଓ ପ୍ରୀତିର ପ୍ରତୀକ ଭାବରେ ରଜପାନର ଦିଆନିଆ
ହୋଇଥାଏ । ଘରେ ଘରେ ପୋଡ଼ପିଠା ଓ ଚକୁଳି ପିଠା ହୁଏ । ରଜ ପର୍ବର ଅନ୍ୟତମ ଆକର୍ଷଣ ‘ରଜଦୋଳି ଗୀତ’, ଯାହା ଗାଁ ଗହଳିରେ ଜନ୍ମ ହୋଇ ପୁରୁଷ
ପୁରୁଷ ଧରି ଲୋକ ମୁଖରେ ବୋଲାଯାଇଆସୁଛି । ରଜଦୋଳି ଗୀତ କହେ ଗାଁ ମାଟିର କଥା, ଓଡ଼ିଶାର ପାଣିପବନର
କଥା, ଆଉ ଖାଣ୍ଚି ଓଡ଼ିଆ ପଣିଆର କଥା । ଏହି ଗୀତ ମାଧ୍ୟମରେ ଫୁଟିଉଠେ
ପରସ୍ପର ମଧ୍ୟରେ ଥିବା ସ୍ନେହଶ୍ରଦ୍ଧା, ଟାହିଟାପରା, ମାନଅଭିମାନ, ଭାବପୀରତି ସବୁ କିଛି...
ବନସ୍ତେ ଡାକିଲା ଗଜ, ବରଷକେ ଥରେ
ଆସିଛି ରଜ ।
ଆସିଛି ରଜ ଲୋ, ଘେନି ନୂଆ
ସଜବାଜ ।।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ।
ସରୁ ଅଳତା ଲୋ, ମଥାରେ
ସିନ୍ଦୂର ଟୋପା ।।
ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ।
ଲାଗୁଛି ଏକା ଲୋ, କାହା ବିନା
ଏକା ଏକା ।।
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ।
ଗଜରା ମାଳି ଲୋ, ଝୁଲାଅ ରଜର
ଦୋଳି ।।
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ।
ଦୁନିଆ ଜାଣେ ଲୋ, ମନକଥା କିଏ
ଜାଣେ ।।
ଶଙ୍ଖ ମଲମଲ ଗିନା, ଦରଦ ଜାଣେ ଲୋ ଦରଦୀ ସିନା ।
ଦରଦୀ ସିନା ଲୋ, ବଣିଆ
ଚିହ୍ନେଟି ସୁନା ।।
ନିମ୍ବର ବୁକେ ଚନ୍ଦନ, ଦେବତା ଗଢ଼ାଇଲା ନାରୀ ଜୀବନ ।
ନାରୀ ଜୀବନ ଲୋ, ଦେଲା ତହିଁ
ଯଉବନ ।।
ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ।
ଭ୍ରମର ଜାତି ଲୋ, ନୂଆ
ଖୋଜୁଥାନ୍ତି ନିତି ।।
ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନି କିଆଁ ଗୁମାନ ।
କିଆଁ ଗୁମାନ ଲୋ, ଆସିଲେଣି ଜୀବ
ଧନ ।।
ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧର ।
ବାଲି ବନ୍ଧର ଲୋ, ଆଖି ଥିଲା ଏଣେ
ତୋର ।।
ସାହାଡ଼ା ଗଛର ଛାଇ, ସେଦିନ କଥାକି ତୋ ମନେ ନାଇଁ ।
ତୋ ମନେ ନାଇଁ ଲୋ, ଏତେ ଆନମନା
କାହିଁପାଇଁ ।।
ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲ ।
ନୁଖୁରା ଗେଲରେ, ଭାଙ୍ଗି ଦେବି
ତୋର ଗାଲ ।।
ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକିଗାଲି ।
ପୁଚୁକି ଗାଲି ଲୋ, ଦେଖାଉଛୁ କେତେ
ବେଲି ।।
ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜା ।
ସ୍ନେହର ମଜା ରେ, ସେ ସିନା ମୋ’ ମନ ରଜା ।।
ଲୁଚିଗଲା ମେଘେ ଚାନ୍ଦ, ଦୋଳି କଟକଟ କରେ ଶବଦ ।
କରେ ଶବଦ ଲୋ, ବହନ୍ତେ ପବନ
ମନ୍ଦ ।।
ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ।
ସୁନା ନୁକୁଟ ଲୋ, ଦିଶୁଥାଏ ଝଟଝଟ ।।
ପରବତେ ଜଳେ ନିଆଁ, ପହଞ୍ଚାଇ ଦୋଳି ତେଣେ ନ ଚାହାଁ ।
ତେଣେ ନ ଚାହାଁ ଲୋ, ପୁଣି ହେବ
ବାଆଁ ଡାଆଁ ।।
ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉ ଥାଏ ।
ଅନାଉ ଥାଏ ଲୋ, ନନ୍ଦର ଉଦିଆ
ଚାନ୍ଦ ।।
ଛତରା ବଜାର ହାଟ, ଛକି ବସିଥିବ ଚଗଲା ନଟ ।
ଚଗଲା ନଟ ଲୋ, ଛନ୍ଦରେ ମାଗିବ
ଘାଟ ।।
ଥୋଡ଼ମଞ୍ଜା କଲି ରାଇ, କଣ ନ କଲେ କଳା କହ୍ନାଇ ।
କଳା କହ୍ନାଇ ଲୋ, ମୁହଁକୁ ଯା ନ
ଅନାଇ ।।
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ।
କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ
କାହିଁ ।।
ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକା ବସିଲା ରୁଷି ।
ବସିଲା ରୁଷି ଲୋ, ଫୁଲ ଶେଜ ହେଲା
ବାସି ।।
କଟକଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି ।
ଯାଇଛି ଜଳି ଲୋ, ଭାଇ ବିଦେଷୁ
ନଇଁଲେ ବୋଲି ।।
ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ ।
ହେଲା ଚଉଦ ଲୋ, ଗଲାଣି ପିଲା
ସୁଆଦ ।।
ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ ।
ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ
ବାଜେ ।।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗ ।
ବଡ଼ଙ୍କ ଆଗ ଲୋ, ଲାଗିବ
ନାହିଁଟି ଦାଗ ।।
ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉରେ ।
ଛଇ ଦେଖାଉରେ, ଅଛି କି ତୋ ଭରଷାରେ ।।
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବ ।
ପରାଣୀ ହେବ ରେ, ମନ ଜାଣି
ଖଞ୍ଜି ଦେବ ।।
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ।
ନାଗର ଜଣେ ଲୋ, ମୁଣ୍ଡି ଝାଡୁ
ଖାଲି ପଣେ ।।
ଅଦିନେ ପଣସ ସିଠା, ବଚନରେ ଯାର ନଥାଏ ମିଠା ।
ନଥାଏ ମିଠା ଲୋ, ସେଟା ବାଡ଼
ପକା କଣ୍ଟା ।।
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚ୍ଚା ।
ସିଂହର ବଚ୍ଚା ଲୋ, ଦେବ ନାହିଁ ପଛଘୁଞ୍ଚା ।।
ମଇଁଷି ଶିଙ୍ଗରେ ଖସା, ମଉସା ପୁଆଟା ଏଡ଼େ ସହସା ।
ଏଡ଼େ ସହସା ଲୋ, ମତେ କଲା
ଲୋକହସା ।।
ଜାରା ମାରିଦେଲା ବାଣ, ଯାହାଠାରେ ଯା’ର ମିଶିଛି ମନ ।
ମିଶିଛି ମନ ଲୋ, ସେହି ଜାଣେ ତା’ର ଗୁଣ ।।
କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ ।
ଏତିକି ଲାଭ ଲୋ, ବନ୍ଧୁ ଘର
ଅରଜିବ ।।
କାଳୀଗାଇ ଦୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ।
ମଉଜ ଭାରି ଗୋ, ପୁରୁଣାଟି
ନିମ୍ବ ପରି ।।
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ ।
ହେବୁ ଗୋଳିଆ ଲୋ, ତୋଫା ହେବଟି
ଧୁଳିଆ ।।
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ।
କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି ।।